ଶ୍ରୀରାମ କୋଇଲି

Want create site? Find Free WordPress Themes and plugins.

କୋଇଲି ଲୋ
କହ ମୋତେ କୁଶଳ ବାରତା ।
କାହିଁ ସେ ଅଛନ୍ତି ରାମ ଲଇକ୍ଷଣ ସୀତା ଲୋ । ୧ ।

କୋଇଲି ଲୋ
ଖଳ ବୋଲେ ଅଯୋଧ୍ୟା ରାଜନ ।
ଖେଡ଼ୁଆଳ ପୁଅକୁ ପେଶିଲେ ଘୋରବନ ଲୋ । ୨ ।

କୋଇଲି ଲୋ
ଗଲାଦିନୁ ଗଲା ସବୁ ଶିରୀ ।
ଗାତ୍ର ମୋ ଦହଇ ସଦା ଶ୍ରୀରାମ ସୁମରି ଲୋ । ୩ ।

କୋଇଲି ଲୋ
ଘୋର ଏ ବରଷା ଚାରିମାସ ।
ଘର ତେଜ୍ୟା କରି ରାମ ଗଲେ ବନବାସ ଲୋ । ୪ ।

କୋଇଲି ଲୋ
ନବୀନସୁନ୍ଦର ମୋ ମାଧୋଇ ।
ନିର୍ମାଖି ପୁତ୍ରକୁ ମୋର କେ ନେଲା ଚୋରାଇ ଲୋ । ୫ ।

କୋଇଲି ଲୋ
ଚିଲକ ବୟସେ ରଘୁରାୟେ ।
ଚଉଦ ବରଷ ରାମ କାହିଁ ନିଦ୍ରାଯାଏ ଲୋ । ୬ ।

କୋଇଲି ଲୋ
ଛଣେ ନିଦ୍ରା ନ ମାଡ଼ଇ ମୋତେ ।
ଛଣେ ଛଣେ ଅଚେତନ ରାମ ହୃଦଗତେ ଗୋ । ୭ ।

କୋଇଲି ଲୋ
ଜନ୍ମ ମୋର ଭାଳୁଁ ଗୁଣୁଁ ଗଲା ।
ଜନ୍ମରୁ ବିଧାତା ତାକୁ ବନେ ବୁଲାଇଲା ଲୋ । ୮ ।

କୋଇଲି ଲୋ
ଝୀନବସ୍ତ୍ର ନାହିଁ ତାଙ୍କ କାୟେ ।
ଝାଡ଼ ବନସ୍ତରେ ରାମ କାହିଁ ନିଦ୍ରାଯାଏ ଲୋ । ୯ ।

କୋଇଲି ଲୋ
ନଗ୍ର ମୋର ଅଯୋଧ୍ୟାର ଗ୍ରାମେ ।
ନ ଶୋହଇ ଘର ମୋର ଶ୍ରୀରାମ ବିହୁନେ ଲୋ । ୧୦ ।

କୋଇଲି ଲୋ
ଟମକ ନିଶାଣ ବାଜୁଥା’ନ୍ତା ।
ଟୀକାସାର ପୁତ୍ର ମୋର ରାଜ୍ୟେ ରଜା ହୋନ୍ତା ଲୋ । ୧୧ ।

କୋଇଲି ଲୋ
ଠାକୁର ମୋ ଦଶରଥ ରାଜା ।
ଠକ ବୋଲେ ପୁତ୍ରକୁ ମୋ କଲେ ରାଜ୍ୟ ତେଜା ଲୋ । ୧୨ ।

କୋଇଲି ଲୋ
ଡେଙ୍ଗାଜଗତୀରେ ରାମ ସ୍ଥାନ ।
ଡାଳ-କୁଡ଼ିଆକୁ ରାମ ହୋଇଲେ ଭାର୍ଜନ ଲୋ । ୧୩ ।

କୋଇଲି ଲୋ
ଢାଳେ କିମ୍ପା ନ ଯାୟେ ମୋ ପ୍ରାଣ ।
ଢାଳେ ହରାଇଲି ମୁଁ ଯେ ଅମୂଲ୍ୟ ରତନ ଲୋ । ୧୪ ।

କୋଇଲି ଲୋ
ଅରଣ୍ୟରେ ରାମ କଲେ ବାସ ।
ଅଯୋଧ୍ୟା ନଗରୁ ରାମ ହୋଇଲା ନିରାଶ ଲୋ । ୧୫ ।

କୋଇଲି ଲୋ
ତପୁସି ମୋ ଶ୍ରୀରାମ ହୋଇଲେ ।
ତାଳୁରେ ସେ ସଟା ବାନ୍ଧି ବନସ୍ତକୁ ଗଲେ ଲୋ । ୧୬ ।

କୋଇଲି ଲୋ
ଥାୟେ ବନେ ସର୍ବ ମତ୍ତ ହସ୍ତୀ ।
ଥାବର ଜଙ୍ଗମ ତଳେ ରାମ ନିଦ୍ରା ଯାନ୍ତି ଲୋ । ୧୭ ।

କୋଇଲି ଲୋ
ଦଇବ-ଲେଖନ ନୋହେ ଆନ ।
ଦଇବ-ଯୋଗରେ ରାମ ବୁଲୁଛନ୍ତି ବନ ଲୋ । ୧୮ ।

କୋଇଲି ଲୋ
ଧିକ କିମ୍ପା ନଯାଏ ମୋ ପ୍ରାଣ ।
ଧନୁର୍ଦ୍ଧରା ପୁତ୍ରକୁ ପେଷିଲେ ଘୋରବନ ଲୋ । ୧୯ ।

କୋଇଲି ଲୋ
ନୀଳମେଘ ପ୍ରାୟେ ରାମ ବର୍ଣ୍ଣ ।
ନିଜ-ରୂପ ଧରିଛନ୍ତି ସୁମିତ୍ରାନନ୍ଦନ ଲୋ । ୨୦ ।

କୋଇଲି ଲୋ
ପାଟ ଛତ୍ର ତେଜି ସିଂହାସନ ।
ପାଦରେ କେମନ୍ତେ ରାମ କରନ୍ତି ଗମନ । ୨୧ ।

କୋଇଲି ଲୋ
ଫାଟି କିକେ ନ ଯାୟେ ମୋ ପ୍ରାଣ ।
ଫଳ ଖାଇ ସୀତା ସଙ୍ଗେ ଶ୍ରୀରାମ ଲକ୍ଷଣ ଲୋ । ୨୨ ।

କୋଇଲି ଲୋ
ବିଧାତା ନିର୍ମାଣ କଲା ଯାହା ।
ବନସ୍ତେ ରହିଲେ ଯାଇ ଜାନକୀର ନାହା ଲୋ । ୨୩ ।

କୋଇଲି ଲୋ
ଭାଗ୍ୟବତୀ କୈକେୟୀ ଯେ ରାଣୀ ।
ଭୃତ୍ୟକୁ ରାଜ୍ୟ ଦେଇଣ ବନେ ତିନି ପ୍ରାଣୀ ଲୋ । ୨୪ ।

କୋଇଲି ଲୋ
ମଗୁଶୀରେ ହେମ ଗଲା ବହି ।
ମହାଶୀତେ ରାମ ମୋର କାହିଁ ନିଦ୍ରା ଯାଇ ଲୋ । ୨୫ ।

କୋଇଲି ଲୋ
ଯାର ନାମ ମୁନିମାନେ ଧ୍ୟାୟି ।
ଯୁବା-ବୟସରେ ରାମ ବନେ ଦୁଃଖ ପାଇ ଲୋ । ୨୬ ।

କୋଇଲି ଲୋ
ରାମ ମୋର ସୁକୁମାର ଦେହୀ ।
ରାମକୁ ନ ଦେଖି ପ୍ରାଣ ହୋଉଅଛି ଦହି ଲୋ । ୨୭ ।

କୋଇଲି ଲୋ
ଲୋଡ଼ି ଖୋଜି ଆଣିବ କେ ପୁତ୍ର ।
ଲୋତକେ ନ ଦିଶେ ଚକ୍ଷୁ ଅଦୃଶ ହେଲା ପଥ ଲୋ । ୨୮ ।

କୋଇଲି ଲୋ
ବରଷ ଚଉଦ ଯେବେ ଯିବ ।
ବନବାସ ସାରି ରାମ ଘରକୁ ଆସିବ ଲୋ । ୨୯ ।

କୋଇଲି ଲୋ
ଶ୍ରୀରାମ-ମହିମା ଅଗୋଚର ।
ଶିବର ଗାଣ୍ଡିବ ଭାଞ୍ଜି ସୀତୟାର ବର ଲୋ । ୩୦ ।

କୋଇଲି ଲୋ
ସାବତ ଜନନୀ ହିଂସା କଲେ ।
ସତ୍ୟ ଆଚରିଣ ରାମ ବନବାସ ଗଲେ ଲୋ । ୩୧ ।

କୋଇଲି ଲୋ
ଶୋକ ମୋର କେ ପାରିବ ଲେଖି ।
ସୁବୁଦ୍ଧି-ପୁତ୍ରକୁ ମୋର କେ କଲା ସନ୍ନ୍ୟାସୀ ଲୋ । ୩୨ ।

କୋଇଲି ଲୋ
ହସି ମୋତେ କହୁ କିନା ବାଣୀ ।
ହୃଦରୁ ବେଦନା ଯାଉ ଶ୍ରୀରାମ କଥା ଶୁଣି ଲୋ । ୩୩ ।

କୋଇଲି ଲୋ
କ୍ଷଣେ ସୁସ୍ଥ ନ ରହେ ମୋ ମନ ।
କ୍ଷମେ ବଳରାମ ଦାସ ଶ୍ରୀରାମ ଶରଣ ଲୋ । ୩୪ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ