ଷୋଳ ପୋଇ

Want create site? Find Free WordPress Themes and plugins.

ସମ୍ପୂର୍ଣ୍ଣ ରାମାୟଣ ବିଷୟବସ୍ତୁ । ୧୬ଟି ଛାନ୍ଦରେ ବିଭକ୍ତ । ମୂଳ ରାମାୟଣର ସାତଗୋଟି କାଣ୍ଡ ଚରିତ ପରିବେଷଣ ହୋଇଛି । ଏଥିରେ ରାମଙ୍କ ବୈକୁଣ୍ଠ ଗମନ ମଧ୍ୟ ସ୍ଥାନ ପାଇଥିବାରୁ ଭଞ୍ଜଙ୍କ ରଚନାରେ ବିଶେଷ ସ୍ଥାନର ଅଧିକାରୀ ।

ସୀତାଙ୍କ ବେଣୀ ବର୍ଣ୍ଣନା

ଧନ୍ୟ ରମଣୀ କୁଟିଳ ବେଣୀ
ନିନ୍ଦେ ଭ୍ରମର ଶ୍ରେଣୀ
କି ଅବା କାମଦେବର ରମ୍ୟ
ନୀଳକେତନ ଜାଣି ।

କି ଅବା ଚନ୍ଦ୍ରମୁଖକୁ ଗ୍ରାସି
ରହିଛି ଘୋରତମ
ରୋଷେଣ ପୁଚ୍ଛ ଲମ୍ବାଇ ଅଛି
ଦିଶଇ ଅନୁପମ ।

କି ଅବା ନିଜ ପତି ଆଶାରେ
ଅଛି ରଜନୀ ରହି
ତାରକା ସପତଣୀର ପାଶେ
ନ ଯିବ ନିଶାସାଇଁ ।

କି ଅବା ଯୁବା ନେତ୍ରଚାତକ
ଅମୃତ ଦାନୀ ସେହୁ
କି ଅବା ଯୁବାଜନନୟନ
କାଳତିମିର ଏହୁ ।

କି ଅବା ରତିନାଥ ରଥର
ନୀଳଚାମର ଶୋଭା
ଦେଖିଲେ ହର ହାରିବ ଧୃତି
ଜଗତଜନ ଲୋଭା ।

କି ସେ କାଳିନ୍ଦୀ ତରଙ୍ଗ ଶ୍ରେଣୀ
ପ୍ରାୟେକ ମନୋହର
ସୀମନ୍ତେ ଶୋଭା ସିନ୍ଦୂର ରବି
-ସୁତା କି ପାଶେ ତାର ।

କି ବା ଅଞ୍ଜଳାଚଳ କନ୍ଦର
ଦରୀ ବାହାର ରବି
କି ନୀଳମଣି ଭୂମିରେ ଶୋହେ
ମାଣିକ୍ୟ ଦଣ୍ଡଛବି ।

ଶିରେ ଶୋଭିତ ମାରାଗ ମଣି
ବଦିତ ମାରତଣ୍ଡ
କି ଭାଲ ଧନୁ ପରେ ସାଜିଛି
ମଦନ ଫୁଲ କାଣ୍ଡ ।

ନୀଳ କୁଟିଳ ଚୂର୍ଣ୍ଣ କୁନ୍ତଳ
ତଥି ପାରୁଶେ ସାଜେ
କି ଭୃଙ୍ଗ ଗଣ କାମ କୋଦଣ୍ଡେ
ଜଗତଜୟ ରାଜେ ।

କିବା ଲଲାଟପଟ ସୁନ୍ଦର
ଅଷ୍ଟମୀ କଳାନିଧି
ଭୃଲତା ଅର୍ଦ୍ଧ କଳଙ୍କୀ ଶୋଭା
ରଚି ଛାଡ଼ିଲା ବିଧି ।

କପୋଳଫାଳ ଅତି ମଞ୍ଜୁଳ
କି କାମଦେବ ଫରି
କିବା ମୁକୁରେ ଗଣ୍ଡମାଜିଣ
ଥୋଇଲା ଲୋକକାରୀ ।

ଯମକାଦି ଅଳଙ୍କାର ଉଦାହରଣ

ରାବଣ କହନ୍ତେ ରାବଣ ସନ୍ତୋଷ
ରାବଣକୁ ପେଷିଦେଲା
ରାବଣମୁଖୀକି ରାବଣ ଦେଖାଇ
ରାବଣ ଆଣ ବୋଇଲା ।

ଜାଣି, ଜନକ ରାଜନ ଜନକ ରାଜନ
ଜନକ ରାଜନ ପୂଜା କରି
ବିଂଶ, ପ୍ରଦୀପ ପ୍ରଦୀପ କରାଇ ପ୍ରଦୀପ
ସୂର୍ଯ୍ୟବଂଶ ପ୍ରଦୀପକୁ ଧରି ।

ମହୀ, ରାବଣ ରାବଣ ରାବଣ ରାବଣ
ବୀର ରାବଣ ହିଁ ଅଛି ବସି
ଧନୁରେ ଧନୁରେ ଯେ ଧନୁ ଧନୁରେ
ସେ ନେବ ମୋହର ଧନୁରାଶି ।

ଏତେ, ଶୁଣି ଦଶରଥ ଚଳି ଦଶରଥ
ଦଶରଥ ସଙ୍ଗେ ପାତ୍ରମନ୍ତ୍ରୀ
କରି, ବଶିଷ୍ଠ ବଶିଷ୍ଠ କି ଋଷି ବଶିଷ୍ଠ
ବଶିଷ୍ଠ ପଣରେ ଯାଉଛନ୍ତି ।

କବି, ବୀରବର ପଦ ବୀରବର
ବୀରବର ପାଦେ ବୀରବର
ଭଞ୍ଜ, ଭଞ୍ଜ ଉପଇନ୍ଦ୍ର ଭଞ୍ଜ ଉପଇନ୍ଦ୍ର
ଉପଇନ୍ଦ୍ର ଇନ୍ଦ୍ର ବୀର ସାର ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ