ରାଧାଗୋବିନ୍ଦ ଚଉତିଶା

Want create site? Find Free WordPress Themes and plugins.

କରମ ମୋହର ମନ୍ଦ ।
କଲି ନାହିଁ ସେବା ପଦାରବିନ୍ଦ ହେ ।
ରାଧାଗୋବିନ୍ଦ ।
କୁବୁଦ୍ଧିରେ ହେଲି ଅନ୍ଧ ହେ । ୧ ।

ଖଟିବାକୁ ଶ୍ରୀଚରଣେ ।
ଖଳ ସଙ୍ଗ ମାଗୁନାହିଁ ମୁ କ୍ଷଣେ ହେ ।
ରାଧାଗୋବିନ୍ଦ ।
ଖେଦ ନ ବଢ଼ାଅ ମନେ ହେ । ୨ ।

ଗଉରବେ ଇଚ୍ଛା ନାହିଁ ।
ଗାମ୍ଭୀର୍ଯ୍ୟ ମାଧୁର୍ଯ୍ୟ ପ୍ରେମକୁ ଧ୍ୟାୟି ହେ ।
ରାଧାଗୋବିନ୍ଦ ।
ଗଞ୍ଜଣା ସୁଖ ଲାଗଇ ହେ । ୩ ।

ଘନ ବିଜୁଳି ବରନ ।
ଘଟଛି ଯେତେ ଯେତେ ଅପମାନ ହେ ।
ରାଧାଗୋବିନ୍ଦ ।
ଘେନୁଛି କରି ଚନ୍ଦନ ହେ । ୪ ।

ଉପାସନା ତତ୍ତ୍ୱ ଲୋଡ଼ି ।
ଉଜ୍ଜ୍ୱଳ ରସରେ ଯିବାକୁ ବୁଡ଼ି ହେ ।
ରାଧାଗୋବିନ୍ଦ ।
ଉଭା ମାତ୍ର କରଯୋଡ଼ି ହେ । ୫ ।

ଚିନ୍ତାମଣି କଳ୍ପତରୁ ।
ଚିକ୍କଣ ମଞ୍ଜୁଳ ବେଶ ସୁଚାରୁ ହେ ।
ରାଧାଗୋବିନ୍ଦ ।
ଚାକିରୀରେ ଦିନ ସରୁ ହେ । ୬ ।

ଛନ୍ଦାଚରଣ ମୂରତି ।
ଛାମୁରେ ଏତିକି ମୋର ବିନତି ହେ ।
ରାଧାଗୋବିନ୍ଦ ।
ଛଡ଼ାଅ ପାପ ଦୁର୍ଗତି ହେ । ୭ ।

ଜଞ୍ଜାଳ ଘେନ ନ ଘେନ ।
ଜୀବନ ବିକିଛି ଏ ଅକିଞ୍ଚନ ହେ ।
ରାଧାଗୋବିନ୍ଦ ।
ଜପିବାକୁ ତବ ନାମ ହେ । ୮ ।

ଝାଡ଼ି ବିନୋଦନକାରୀ ।
ଝୁଲାଇବି ସତେ ଝୁଲଣ ଦୋଳି ହେ ।
ରାଧାଗୋବିନ୍ଦ ।
ଝଳିରୂପ ଦେଖିକରି ହେ । ୯ ।

ନାମକୁ କଲି ସଙ୍ଖାଳି ।
ନାଗର ଲମ୍ପଟ ପ୍ରେମସାଗରୀ ହେ ।
ରାଧାଗୋବିନ୍ଦ ।
ନବାନୁରାଗକୁ ଭାଳି ହେ । ୧୦ ।

କଥା ଶୁଣି ତୋଷେ ।
ଟାକିଛି ଶ୍ରୀମୁଖ ତାମ୍ବୁଳ ଆଶେ ହେ ।
ରାଧାଗୋବିନ୍ଦ ।
ଟଳିବି ନାହିଁ ମୁଁ ଲେଶେ । ୧୧ ।

ଗୁରୁ ରୂପା ସଖୀ ।
ଠାରି ଚିହ୍ନାଇବେ କେବେ ଦୁହିଙ୍କି ହେ ।
ରାଧାଗୋବିନ୍ଦ ।
ଠଣ ଶୁଭା ମୂରତିଙ୍କି । ୧୨ ।

ଡୋଳେ ଦେଖି ସ୍ମିତହାସ ।
ଡୁବି ଯାଉଥିବ ରସେ ମାନସ ହେ ।
ରାଧାଗୋବିନ୍ଦ ।
ଡରି କରୁଥିବି ବେଶ ହେ । ୧୩ ।

ଢାଳି ମନ ପରାଣକୁ ।
ଢମାଳି ଗୀତରେ ନେବି ଦିନକୁ ହେ ।
ରାଧାଗୋବିନ୍ଦ ।
ଢଳାଇଣ ନୟନକୁ ହେ । ୧୪ ।

ଅରୁଣ କୁଞ୍ଜ ସେବାରେ ।
ଅନୁସରି ଥିବି ରାତ୍ରି ଦିବାରେ ହେ ।
ରାଧାଗୋବିନ୍ଦ ।
ଅଞ୍ଜଳିପୁଷ୍ପ ଦେବାରେ ହେ । ୧୫ ।

ତରୁଣୀ ତରୁଣ ଛବି ।
ତ୍ରପାରେ ଛାମୁରେ ତରକି ଥିବି ହେ ।
ରାଧାଗୋବିନ୍ଦ ।
ତନ୍ମୟ ପ୍ରେମରେ ହେବି ହେ । ୧୬ ।

ଥରକୁ ଥର ଥୟରେ ।
ସ୍ଥଳ କମଳ ଗଞ୍ଜନ ପୟରେ ହେ ।
ରାଧାଗୋବିନ୍ଦ ।
ଥାପିବି ଲକ୍ଷ୍ୟ ଲୟରେ ହେ । ୧୭ ।

ଦୟଣା ମରୁଆ ମାଳେ ।
ଦେବି ଉପହାର ଦୁହିଁଙ୍କ ଗଳେ ହେ ।
ରାଧାଗୋବିନ୍ଦ ।
ଦରଶନ କଲା କାଳେ ହେ । ୧୮ ।

ଧରି ଯୁଗଳ ଚରଣ ।
ଧୋଇବି ନୟନଜଳେ ଯେ ଦିନ ହେ ।
ରାଧାଗୋବିନ୍ଦ ।
ଧନ୍ୟ ମଣିବି ଜୀବନ ହେ । ୧୯ ।

ନୀଳ ପୀତ ଝୀନବାସ ।
ନିଭୃତେ କୁଞ୍ଚିବି ହୋଇ ଉଲ୍ଲାସ ହେ ।
ରାଧାଗୋବିନ୍ଦ ।
ନିରେଖି ଯୁଗ୍ମ ବିଳାସ ହେ । ୨୦ ।

ପହଣ୍ଡ ମଣା ଚାକିରୀ ।
ପଣରେ ହୋଇବି ସତେ କିଙ୍କରୀ ହେ ।
ରାଧାଗୋବିନ୍ଦ ।
ପଙ୍ଖା ଆଲଟକୁ ଧରି ହେ । ୨୧ ।

ଫୁଲ ଶେଯ ଖଟଦୋଳି ।
ଫୁଲଣା ହୋଇ ସଜାଇବି ଭାଳି ହେ ।
ରାଧାଗୋବିନ୍ଦ ।
ଫେଡ଼ିଛି କୁଳ ଶିକୁଳି ହେ । ୨୨ ।

ବରମାଳା ବୈଜୟନ୍ତୀ ।
ବସି ଆନନ୍ଦରେ ଯତନେ ଗୁନ୍ଥି ହେ ।
ରାଧାଗୋବିନ୍ଦ ।
ବରିବାକୁ ଅଛି ଚିନ୍ତି ହେ । ୨୩ ।

ବ ଡୋଳା ଖେଳା ।
ଭଙ୍ଗିରେ ଇଙ୍ଗିତବାଣୀ ସଙ୍ଖୋଳା ହେ ।
ରାଧାଗୋବିନ୍ଦ ।
ଭାବେ ହୋଇଥିବି ଭୋଳା ହେ । ୨୪ ।

ମହାଭାବ ସ୍ୱରୂପିଣୀ ।
ମଦନମୋହନ ଲାବଣ୍ୟ ଠାଣି ହେ ।
ରାଧାଗୋବିନ୍ଦ ।
ମିଳାଇବି ସତେ ପୁଣି ହେ । ୨୫ ।

ଯମୁନାଜଳ ଘାଟରେ ।
ଯୁଗଳ ମୂରତି ଭେଟ ଲଟରେ ହେ ।
ରାଧାଗୋବିନ୍ଦ ।
ଯିବି ମୁଁ ଛଟପଟରେ ହେ । ୨୬ ।

ରାସ ବିଳାସରେ ମଜ୍ଜି ।
ରାତ୍ରଦିବା ତୁମ୍ଭ ଲୀଳାକୁ ହେଜି ହେ ।
ରାଧାଗୋବିନ୍ଦ ।
ରଖିବି ଦର୍ପଣ ମାଜି ହେ । ୨୭ ।

ଲାଜକୁ ଫିଙ୍ଗିଛି ଦୂରେ ।
ଲଳିତାଦି ସଖୀଗଣ ସଙ୍ଗରେ ହେ ।
ରାଧାଗୋବିନ୍ଦ ।
ଲେଖା ହେବ ନାମ ପରେ ହେ । ୨୮ ।

ବସନ୍ତ ଉତ୍ସବକାଳେ ।
ବଞ୍ଜୁଳ ମଞ୍ଜୁଳ ତମାଳମାଳେ ହେ ।
ରାଧାଗୋବିନ୍ଦ ।
ବିହରିବି ସଖୀ ମେଳେ ହେ । ୨୯ ।

ଶରତ ଝୁଲଣ ବିଧି ।
ଶିଖିବି ଜଳକ୍ରୀଡ଼ା ବେଳ ସିଦ୍ଧି ହେ ।
ରାଧାଗୋବିନ୍ଦ ।
ଶୁଭେ ଦିଶିବ ଏ ବୁଦ୍ଧି ହେ । ୩୦ ।

ଷୋଳସସ୍ର ଗୋପିକାଏ ।
ସୁମରି ହେବି ରାସବିନୋଦରେ ହେ ।
ରାଧାଗୋବିନ୍ଦ ।
ସୂର୍ଯ୍ୟ ପୂଜା ସମୟରେ ହେ । ୩୧ ।

ସଂକୀର୍ତ୍ତନେ ହୋଇ ମତ୍ତ ।
ସଦ୍ଗୋଷ୍ଠୀରେ ଥିବି ମୁଁ ଅବିରତ ହେ ।
ରାଧାଗୋବିନ୍ଦ ।
ସ୍ୱକରୁଣା କର ଦତ୍ତ ହେ । ୩୨ ।

ହସି ଏହି ଆଜ୍ଞା ହେଉ ।
ହରିବୋଲ ବୋଲି ଏ ଜୀବ ଯାଉ ହେ ।
ରାଧାଗୋବିନ୍ଦ ।
ହୃଦେ ତବ ନାମ ଥାଉ । ୩୩ ।

କ୍ଷମାନିଧି ରାହା ଧରି ।
ଖିଆଲେ ଭାସେ ବିନୋଦ ମଞ୍ଜରୀ ହେ ।
ରାଧାଗୋବିନ୍ଦ ।
କ୍ଷମେ ନିଅ ବ୍ରଜପୁରୀ ହେ । ୩୪ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ