ଇଚ୍ଛାବସନ୍ତ ସ୍ତୁତି

Want create site? Find Free WordPress Themes and plugins.

ଜୟ ଜୟ ମହାମାୟୀ ଶ୍ରୀମଙ୍ଗଳା ଚଣ୍ଡୀ
ଲଲାଟରେ ଚିତା ମାଗୋ ସିନ୍ଦୁରରେ ମଣ୍ଡି ।
ଶ୍ରବଣେ କୁଣ୍ଡଳ ମାଗୋ ନାସେ ଗଜ ମତି
ହସ୍ତରେ ଶୋଭଇ ଖଡ଼ଗ ଖପର ଯେ କାତି ।
ରଙ୍ଗ ପୁଷ୍ପମାଳ ମାଗୋ ଗଳାରେ ଶୋଭିତ
ଆକାଶରେ ଡମ୍ବରୁ ବଜାଇ ଅପ୍ରମିତ ।
ତୋହାର ସେବାରେ ଥାନ୍ତି ଚଉଷଠି ଯୋଗ୍ନୀ
ତୁହି ଶିବା ତୁହି ଦୁର୍ଗା ତୁହି କାତ୍ୟାୟିନୀ ।
ଆଦିଶକ୍ତି ମାଗୋ ତୁହି ନାମ ତୋ ପାର୍ବତୀ
ଅର୍ଦ୍ଧ ଅଙ୍ଗେ ଦେଉ ମାତ ଶିବଙ୍କୁ ବିଭୂତି ।
ଦୁର୍ଗାରୂପେ ଜାତ ମାଗୋ ହୋଇ ମହାମାୟୀ
କୋଟି ଅକ୍ଷୌହିଣୀ ସୈନ୍ୟ ହତ କଲୁ ତୁହି ।
ରକ୍ତବୀର୍ଯ୍ୟ ମହିଷ ଗୋ ଯମଘଣ୍ଟ ମୂଳେ
ଏହାଙ୍କୁ ନାଶିଲୁ ମାଗୋ ପୃଥିବୀର ଛଳେ ।
ଖେଚରୀ ଭୂଚରୀ ମାଗୋ ଈଶ୍ୱରଙ୍କ ନାରୀ
ସ୍ୱର୍ଗକୁ ରଖିଲ ଦେବ ଅବି ନାଶ କରି ।
ନବକୋଟି କାତ୍ୟାୟନୀ ତୁହି କଲୁ ଜାତ
ମହିଷାସୁରକୁ ମାଗୋ କଲୁ ତୁ ନିପାତ ।
ରୁଦ୍ରାଣୀ ତୁ ଅଟୁ ମାଗୋ ତୁହି ରୌଦ୍ର ସୁଖୀ
ଇନ୍ଦ୍ରାଣୀ ବ୍ରହ୍ମାଣୀ ମାଗୋ ତୁହି ସର୍ବସାକ୍ଷୀ ।
ଜଗତ ତାରିଣୀ ମାଗୋ ନାମ ନାରାୟଣୀ
ନିର୍ଜ୍ଜନ ବନେ ତୋ ନାମ ପତ୍ର ସଉରୁଣୀ ।
ଗଗନ ମାର୍ଗରେ ମାଗୋ ନିବାସ ତୋହରି
ସର୍ବ ଦେବଙ୍କର ମାତ ବିଘ୍ନ ନାଶକାରୀ ।
ତେଣୁକରି ତୋତେ ମାଗୋ ସୁମରଣା କଲି
ଏ ବିପଦୁ ମାତ ରକ୍ଷା କରିବୁ ତୁ କୋଳି ।
ଇଛା ସୁଖେ ମାଗୋ ତୁହି କରୁ ସେ ଭ୍ରମଣୀ
ତେଣୁ ଇଚ୍ଛାବସନ୍ତ ତୋ ନାମ ଅଟେ ପୁଣି ।
ଉଚ୍ଚନୀଚ ଜାତି ମାଗୋ ସମାନ ତୋହର
ପଶୁପକ୍ଷୀ କୀଟ ବୃକ୍ଷଲତା ନାରୀବର ।
ଇଚ୍ଛା ସୁଖେ ନାନା ରୂପେ ହେଉ ଅବତାର
ସ୍ୱୟଂ ଦରଶନ ମିଳେ କଳିଯୁଗେ ତୋର ।
କୃପାକର ମା ଦାୟିନୀ ଘେନି ମୋ ଆରତ
ରକ୍ଷାକର ମାଗୋ ତୁହି ଘୋଡ଼ାଇ ପଣତ ।
ଭାସିଗଲି ଦୟା ବହି ରଖ ମାଗୋ ତୁହି
ମଝି ସମୁଦ୍ରରେ ମାଗୋ ମୋ ଭେଳା ଭସାଇ ।
ଜୟ ଜୟ ଭବାନୀ ଗୋ ଦୟା କର ମୋତେ
କରଇ ପ୍ରାର୍ଥନା ମୁହିଁ ତୁମ୍ଭ ପାଦଗତେ ।
ଜୟ ଜୟ ଭବାନୀ ଗୋ ଆତଙ୍ଗ ନାଶିନୀ
ଜୟ ଜୟ ଦୁର୍ଗା ମାଗୋ ଦୁର୍ଗତି ଖଣ୍ଡିନୀ ।
ଜୟ ଜୟ ଭବାନୀ ଗୋ ସର୍ବଦେବ ମାତ
ମହିଷାସୁରକୁ ମାରି ରଖିଲୁ ଜଗତ ।
ଜୟ ଜୟ ଦୁର୍ଗାରୂପ ପଞ୍ଚଧା ତୋହର
ନାନାରୂପେ ଯୁଗେ ଯୁଗେ ହେଉ ଅବତାର ।
ତୁହି ପାର୍ବତୀ ଆବର ଅଟୁ ଆଦିମାତ
ମହୀଭାରା ନିବାରଣେ ହୋଇଅଛୁ ଜାତ ।
ତୁହି ଜୟା ବିଜୟା ଗୋ ତୁ ଅଟୁ ମୃଡ଼ାନୀ
ସର୍ବାଣୀ ଶିବାଣୀ ତୁ ଭିମାନୀ ରୁଦ୍ରାଣୀ ।
ଦେବୀମାନଙ୍କ ଉପରେ ପାଞ୍ଚକୋଟି ନାମ
ଉତ୍କଳ ଦେଶରେ ନାମ ହରଚଣ୍ଡୀ ଜାଣ ।
ଭୟ ବିଘ୍ନ ବିନାଶନେ ଅଟୁ ତୁ ତତ୍ପରା
କୋଶଳ ଦେଶରେ ନାମ ଅଟଇ କୋଶଳା
କାକଟପୁରେ ତୋହର ନାମ ଯେ ମଙ୍ଗଳା ।
ଗୁଣ୍ଡକିରା ଦେଶରେ ତୋ ନାମ ଗୁଣ୍ଡକିରୀ
କଳିଙ୍ଗ ଦେଶରେ ମାଗୋ ତୋ ନାମ ଠାକୁରୀ ।
ତାଳଚେରରେ ରହିଲୁ ତୋ ନାମ ହିଙ୍ଗୁଳା
କଖଡି ମହାଦେଶରେ ତୁ ଅଟ ମଙ୍ଗଳା ।
ସମ୍ବଲପୁରରେ ନାମ ତୋର ସମଲାଈ
ଯାଜପୁରେ ରହିଲୁ ତୁ ବିରଜା ବୋଲାଇ ।
ବାଙ୍କିରେ ରହିଲୁ ମାଗୋ ନାମ ତୋ ଚର୍ଚ୍ଚିକା
ଗଙ୍ଗାକୂଳେ ନାମ ତୋର ଅଟଇ କାଳିକା ।
ବାଣପୁରରେ ରହିଲୁ ମା ନାମ ଭଗବତି
ଭୁବନେଶ୍ୱରରେ ତୋର ଗୌରୀ ନାମେ ଖ୍ୟାତି ।
କଟକେ କଟକ ଚଣ୍ଡୀ ଶ୍ରୀକ୍ଷେତ୍ରେ ବିମଳା
ଝଙ୍କଡ଼େ ରହିଲୁ ମାଗୋ ବୋଲାଇ ଶାରଳା ।
ବଡ଼ମ୍ବାରେ ଭଟ୍ଟାରିକା ନାମ ଯେ ତୋହର
କୋଣାରକେ ହରଚଣ୍ଡୀ ନାମ ଅଟେ ତୋର ।
ସିଂହଳରେ ନାମ ତୋର ଅଟଇ ମୋହିନୀ
ମଣିଦ୍ୱୀପେ ତୋର ନାମ ଅଟଇ ଭବାନୀ ।
ଲଙ୍କେଶ୍ୱରୀ ନାମ ତୋର ଅଟଇ ଲଙ୍କାରେ
ମଲେଶ୍ୱରୀ ନାମ ତୋର ଅଟେ ଅଯୋଧ୍ୟାରେ ।
ବସନ୍ତ ଉତ୍ସବେ ଇଚ୍ଛା ବଳିବାରୁ ତୋର
କାହିଁ କ୍ରୋଧ କାହିଁ ଶାନ୍ତି ବିଜୟେ ସଂସାର ।
ତବ ଶୁଭ ଆଗମନେ ଅଧମ କୁଟୀର
କି ଦେଇ ପୂଜିବି ମୁହିଁ କି ଅଛି ମୋହର ।
ତୁମ୍ଭଙ୍କୁ ଯେ ଭାବେ ତାକୁ ନ ପଡ଼େ ପ୍ରମାଦ
ସବୁ ତେଜ୍ୟା କରି ମାଗୋ ସେବେ ତବ ପାଦ ।
ତେଣୁକରି ତୋତେ ମାଗୋ ସୁମରିଲି ମୁହିଁ
ଏ ବିପଦୁ ରକ୍ଷାକର ସାହା ମୋତେ ହୋଇ ।
ତୁହି ମାତା ହୋଇ ଯେବେ କରିବୁ ଅନାଥ
ଶରଣ ରଖିବା ପାଇଁ କେ ହେବ ସାମର୍ଥ ।
ମାର ଅବା ତାର ତୁହି ପଶିଲି ଶରଣ
ଅଧମ ଘନଶ୍ୟାମକୁ କରିବୁ କାରଣ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ