ବିଚିତ୍ର ଦେଖିଲି ଆଜ

Want create site? Find Free WordPress Themes and plugins.

ବିଚିତ୍ର ଦେଖିଲି ଆଜ
ରେ ସଙ୍ଗାତ । ରେ ମିତଣୀ ।
ତ୍ରିଭଙ୍ଗିମା ଠାଣି
ତେରଛ ଚାହାଣୀ
ପୂର୍ଣ୍ଣଚନ୍ଦ୍ର ଜିଣି ମୁଖଟି । ଘୋଷା ।

ଅଗସ୍ତିଙ୍କ ତାତ ସଙ୍ଗତରେ ନେଲି
ରବିସୁତା ତଟେ ପ୍ରବେଶ ହୋଇଲି
ଏଗାରରେ ବନ ଆଣନ୍ତେ ସଦନ
ପଥରେ ଦେଖିଲି
ସେ ରସିକରାଜ, ସେ ନାଗରରାଜ । ୧ ।

ଦେଖିଲା ବେଳକୁ ତ୍ରିଭଙ୍ଗିମା ଛିଡ଼ା
ହରରିପୁ କଲା ଦ୍ୱିଗୁଣରେ ପୀଡ଼ା
ଚନ୍ଦ୍ରସୁତ ଥିଲା ତହୁଁ ହଜିଗଲା
ମୁଖୁଁ ନ ଆସିଲା ବିରାଟ ତନୁଜ । ୨ ।

ଶୈଳସୁତାପତିସୁତର ବାହନ
ପୁଚ୍ଛ ମସ୍ତକରେ ଦିଶେ ଶୋଭାବନ
ସତାଇଶି ପତି ସଙ୍ଗତେ ଥିବାରୁ
ଦୂରୁ ଦେଖି ସଖୀ ପାଇଲି ମୁଁ ଲାଜ । ୩ ।


ଏହି ଚଉପଦୀରେ ଭଞ୍ଜକବି ଶ୍ଳେଷାତ୍ମକ ପଦ ଖଞ୍ଜିଛନ୍ତି । କେତେକ କଠିନ ପଦଗୁଡ଼ିକର ସଠିକ ଅର୍ଥ ତଳେ ଦିଆଗଲା । ଉଲ୍ଲେଖଯୋଗ୍ୟ ଯେ ଏହି ଗୀତଟି ସ୍ଥାନେ ସ୍ଥାନେ ଭାରତନାଟରେ ଦୁଆରୀ ଚରିତ୍ର ବୋଲନ୍ତି ଓ ବ୍ୟାଖ୍ୟା କରି ବୁଝାଇଥାଆନ୍ତି ।

ଅଗସ୍ତିଙ୍କ ତାତ ମାନେ ପିତା ହେଲେ କୁମ୍ଭ ଋଷି । କୁମ୍ଭ ଅର୍ଥାତ ମାଠିଆ ଧରି ରାଧା ସୂର୍ଯ୍ୟଙ୍କ ସୁତା ଯମୁନାଙ୍କ ତଟରେ ପ୍ରବେଶ ହେଲେ । ଜଳର ୨୫ ଗୋଟି ନାମ ଅଛି । ତହିଁରୁ ଗୋଟିଏ ପ୍ରତିଶବ୍ଦ ବନ । ରାଶି ଗଣନାରେ ଏଗାରତମ ରାଶି କୁମ୍ଭ । ମାନେ କୁମ୍ଭରେ ଜଳ ଧରି ଯମୁନା ତଟରୁ ଘରକୁ ଫେରିଲା ବେଳେ ରସିକରାଜ କୃଷ୍ଣ ପଥ ଓଗାଳିଲେ । ୧ ।

ହରରିପୁ ବୋଲନ୍ତେ କନ୍ଦର୍ପ । ତ୍ରିଭଙ୍ଗିମା ଠାଣି ଦେଖି ରାଧାଙ୍କୁ କନ୍ଦର୍ପ ପୀଡ଼ା କଲେ । ଚନ୍ଦ୍ରଙ୍କ ସୁତ ବୁଧ । ମାନେ କୃଷ୍ଣଙ୍କ ତ୍ରିଭଙ୍ଗୀ ଦେଖି ରାଧାଙ୍କ ବୁଦ୍ଧି ହଜିଗଲା । ବିରାଟ ରାଜାଙ୍କ ତନୁଜ ମାନେ ଉତ୍ତରା । ମାନେ ବୁଦ୍ଧି ହଜିଯାଇ ରାଧାଙ୍କ ମୁଖରୁ ଉତ୍ତର କିଛି ବାହାରିଲାନି । ୨ ।

ଶୈଳରାଜଙ୍କ ପୁତ୍ରୀ ମାନେ ପାର୍ବତୀ । ତାଙ୍କରି ସୁତ ହେଲେ କାର୍ତ୍ତିକେୟ । ତାହାଙ୍କ ବାହନ ପୁଣି ମୟୂର । କୃଷ୍ଣଙ୍କ ଶିରରେ ମୟୂରପୁଚ୍ଛ ସୁନ୍ଦର ଦିଶୁଥିଲା । ସତାଇଶିତମ ନକ୍ଷତ୍ର ରେବତୀଙ୍କ ପତି ବଳରାମ ଶ୍ରୀକୃଷ୍ଣଙ୍କ ସଙ୍ଗରେ ଥିବାରୁ ରାଧା ଦେଢ଼ଶୁରଙ୍କୁ ଦେଖି ଲାଜେଇଗଲେ । ୩ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ