ଭାନୁମତି ଚଉତିଶା

Want create site? Find Free WordPress Themes and plugins.

କହେ ଭାନୁମତୀ ହେ କୁରୁପତି ।
କିପାଁ ପାଣ୍ଡବେ କରୁଛ ଅପ୍ରୀତି ।
କରୁଛ ତାଙ୍କୁ ଯେତେ ଅପମାନ ।
କରୁଛ ତାହା ଆଗକୁ ସଞ୍ଚନ ସେ ।
କିପାଁ ସୋଦରେ ବିପକ୍ଷ ହେ ।
କର୍ମ ଆଦରି ଯୁଧିଷ୍ଠିର ଅଛନ୍ତି
ଧର୍ମ ତାଙ୍କୁ ସାହାପକ୍ଷ ହେ । ୧ ।

ଖଳ ନାଶନ ଦେବ ଦାମୋଦର ।
କ୍ଷଣେ ନ ଛାଡ଼ନ୍ତି ସଙ୍ଗ ତାଙ୍କର ।
ଖଗପତି ଯାକୁ ସାହା ଅଛନ୍ତି ।
ଖଳ ଲୋକଙ୍କୁ ବା କି ତାଙ୍କ ଭୀତି ଯେ ।
ଖଳ ବୁଦ୍ଧିରେ ନ ପଶ ହେ ।
ଖେଳାଉ ଖେଳାଉ ସର୍ପ ଦଂଶି ଦେଲେ
କାହାକୁ ଦେବା ତ ଦୋଷ ହେ । ୨ ।

ଗୋବିନ୍ଦ ଦୂତ ପଣେ ଆସିଥିଲେ ।
ଗଉରବ କରି ପଡ଼ ମାଗିଲେ ।
ଗରବେ ତାଙ୍କୁ ନ ଦେଲ ଉତ୍ତର ।
ଗାଳି ଦେଲ ତାଙ୍କୁ ନାନା ପ୍ରକାର ସେ ।
ଗରବ ଗଞ୍ଜନ ହରି ଯେ ।
ଗଲାବେଳେ ଯେତେ ଦୁଃଖ ଦେଇଅଛ
ଦେବେ କଳନ୍ତର ଭରି ଯେ । ୩ ।

ଘୋର ବନରେ ବୁଲି ପଞ୍ଚଭ୍ରାତ ।
ଘେନି ସଙ୍ଗତରେ ଘରଣୀ ମାତ ।
ଘୋରଯୁଦ୍ଧ କଲେ ଗିରିବନର ।
ଘେନିଲେ ପ୍ରାଣ ଦୁଷ୍ଟ ଦୈତ୍ୟଙ୍କର ସେ ।
ଘୋର ରଣେ ମହାକ୍ଷତ୍ରି ଯେ ।
ଘଞ୍ଚାଳି କରୁଛ ତାହାଙ୍କ ସଙ୍ଗତେ
ନ ଜାଣ କି ତାଙ୍କ ରୀତି ହେ । ୪ ।

ଉମା ଅଟନ୍ତି ଦ୍ରୁପଦ ଦୁହିତା ।
ଉତ୍ସର୍ଗ କଲେ ତୁମ୍ଭ ସତ ଭ୍ରାତା ।
ଉଭା କଲ ନେଇ ସଭାର ତଳେ ।
ଉଲରା କଲ ଧରି ସେ ।
ନୟନ ଅନଳେ ଚାହିଁ ଯେ ।
ନୟନ ଅନଳ
ହେଲା ଦହି ଯେ । ୫ ।

ଚଉଦିଗରେ ତୁମ୍ଭେ ଅଟ ଚନ୍ଦ୍ର ।
ଚତୁର ପଣେ ସରି ନୋହେ ଇନ୍ଦ୍ର ।
ଚିତ୍ତେ ନ ମାନ ତ ରାଜାମାନଙ୍କୁ ।
ଚନ୍ଦ୍ରପ୍ରାୟ ଆହାଲାଦ ପ୍ରଜାଙ୍କୁ ସେ ।
ଚାଳନ୍ତେଣ ପଦ୍ମ ଫୁଟି ଯେ ।
ଚକ୍ରବର୍ତ୍ତୀ ମାନଗୋବିନ୍ଦ ବୋଲାଅ
ତୁମ୍ଭେ କକ୍ଷାଜଗଜ୍ଜେଠି ହେ । ୬ ।

ଛତ୍ରି ଅଟନ୍ତି ଭୀଷ୍ମ ଦ୍ରୋଣ କର୍ଣ୍ଣ ।
ଛଳ ନ ବୁଝ ତାହାଙ୍କ ବଚନ ।
ଛନ୍ଦେ ଖାଉଛନ୍ତି ସେ ତୁମ୍ଭ ଦ୍ରବ୍ୟ ।
ଛଛନ୍ଦେ ମନାସି ପାଣ୍ଡବଶୁଭ ସେ ।
ଛନ୍ଦ ପାତିଛି ଶକୁନି ଯେ ।
ଛଳେ ପିତାଶତ୍ରୁ ସାଧବ ବୋଲିଛି
ନ ପାରୁଛ ତାହା ଜାଣି ହେ । ୭ ।

ଜାଣୁ ଜାଣୁ ତାଙ୍କ ବୋଲେ ନ ପଡ଼ ।
ଜଗତେ ଜାଣନ୍ତି ଗୋବିନ୍ଦ ବଡ଼ ।
ଯାହାଙ୍କୁ ଦେଖି କଂସ ନାଶ ଗଲା ।
ଯାମଳା କେଶୀ ବକା ଅଘା ମଲା ସେ ।
ଜରାସନ୍ଧ ଧାଡ଼ି ଦେଲା ଯେ ।
ଜାଣ ଟିକି କାଳ ଦମନ ମରାଇ
ଭୀମେ ଜରା ମରାଇଲା ଯେ । ୮ ।

ଝଗଡ଼ା କଲେ ମରିବ ଗୋସାଇଁ ।
ଝୁରିବୁଁ ତ ତୁମ୍ଭ ମୁଖ ନ ଚାହିଁ ।
ଝରୁଥିବ ବେନି ନେତ୍ରରୁ ବାରି ।
ଝୁରି ମରିବୁଁ ଚନ୍ଦ୍ରଶାଳା ପୁରୀ ସେ ।
ଝଡ଼ିବ ଏ ମୋର ବାହି ହେ ।
ଝୁରୁଥିବେ ମାତା ପିତା ଯେ ତୁମ୍ଭର
ବୋଧ ନ କରିବେ କେହି ଯେ । ୯ ।

ନ ଦିଅ ବିଧବା ଅବସ୍ଥା ମୋରେ ।
ନ କର ଅପୁତ୍ରି ପିତା ମାତାରେ ।
ନ କର ଛେଉଣ୍ଡ ଲକ୍ଷ୍ମଣ ପୁତ୍ର ।
ନ କର ଅପାଟକ କୁଳ ଗୋତ୍ର ହେ ।
ନ ନାଶ ସୁନ୍ଦର ଦେହ ଯେ ।
ନ କରାଅ କୁରୁ-ପାଣ୍ଡବେ ଅପ୍ରୀତି
ରଖି ରାଜ୍ୟଭାଗ ଦିଅ ହେ । ୧୦ ।

ଟାଣ ନୁହନ୍ତି ଯୁଧିଷ୍ଠି ଗୋସାଇଁ ।
ଟାକିଛନ୍ତି ତୁମ୍ଭ ବଚନ ପାଇଁ ।
ଟିକାଏ ତାଙ୍କ ମନେ ନାହିଁ ହିଂସା ।
ଟୋକାଙ୍କର ବୋଲେ ଖେଳିଲେ ପଶା ସେ ।
ଟାଣ କରିଅଛି ଭୀମା ଯେ ।
ଟାକିଛି ଭାରତ ଯୁଦ୍ଧରେ ଦୁଃଶାର
ଭାଙ୍ଗିବ ସବୁ ଗାରିମା ଯେ । ୧୧ ।

ଠିକକଥା ଯେତେ କହିଲେ ରାଣୀ ।
କୁରୁମଣି ।
ଠାଣିମାଣି ହୋଇ ପ୍ରତିଜ୍ଞା କଲା ।
ଠିକେ ଭୂମେ କର ମାଡ଼ି ବସିଲା ସେ ।
ଠକାଇଛି ତାକୁ ବିହି ଯେ ।
ଠିକେ ନରହରି ବ୍ରାହ୍ମଣ କହଇ
ଦୁର୍ବୁଦ୍ଧି ତାକୁ ଦିଶଇ ଯେ । ୧୨ ।

ଡୋଳା ବୁଲାଇ ବୋଲୁଅଛି ବାଣୀ ।
ଡରାଇଲେ କି ଡରେ କୁରୁମଣି ।
ଡଗରା ଗଉଡ଼କୁ କରୁ ବଡ଼ ।
ଡରେ ସିନ୍ଧୁ ମଧ୍ୟେ ବାନ୍ଧିଲା ଗଡ଼ ସେ ।
ଡରେ ଥିଲା ଗୋପେ ଲୁଚି ଗୋ ।
ଡରିମଲା କଂସ ଅଷ୍ଟସେନାମୂଳେ
ନ ପାରିଲା ବୁଦ୍ଧି ପାଞ୍ଚି ଗୋ । ୧୩ ।

ତମ ପ୍ରାୟେ ମଣୁ ତାହାର କୃତ୍ୟ ।
ଢୋଲବାଦ୍ୟରେ କି ତାଣ୍ଡବ ନୃତ୍ୟ ।
ଢମଯୁଦ୍ଧେ ତାକୁ ହେଳେ ଜିଣିବା ।
ଢାଳେ ଦେବଶର କିପାଁ ମାରିବା ସେ ।
ଢମପଣେ ପାଞ୍ଚ ଭାଇ ଗୋ ।
ଢମାଳିଆ ଗୋପ ଗାଈ ଯେ ଚରାଏ
ହୋଇଅଛି ତାଙ୍କୁ ସାହୀ ଗୋ । ୧୪ ।

ଊନଶତ ଭାଇ ଅଛନ୍ତି ସଙ୍ଗେ ।
ଊଣା ନୁହନ୍ତି କେହି ରଣ ରଙ୍ଗେ ।
ଊଣା ନୁହନ୍ତି ଭୀଷ୍ମ ଦ୍ରୋଣ କର୍ଣ୍ଣ ।
ଊଣା ନୁହନ୍ତି ସେ କୃପ ବ୍ରାହ୍ମଣ ଗୋ ।
ଅଶ୍ୱତ୍ଥାମା ମହାରଥୀ ଗୋ ।
ଊଣା ନୁହନ୍ତି ସେ ଶଲ୍ୟ ଜୟଦ୍ରଥ
ରେଣୁଟି ମଣନ୍ତି ପୃଥ୍ୱୀ ଗୋ । ୧୫ ।

ତାଙ୍କ ଥିଲେ ମୋର ଭୟ କାହାକୁ ।
ତୃଣ ମଣଇଁ ମୁଁ ପଣ୍ଡୁପୁଅଙ୍କୁ ।
ତୋଳି ଧରେ ସତୁରିଭାର ଗଦା ।
ତୁ ମନେ ମଣୁ କି ସାମାନ୍ୟ ଯୋଦ୍ଧା ମୁଁ ।
ତୀର କମାଣେ କୁଶଳ ଗୋ ।
ତୁ ତ ଜାଣୁ କର୍ଣ୍ଣ ବଡ଼ ଜଗଜ୍ଜେଠୀ
ଭାରତ ଯୁଦ୍ଧର ମଲ୍ଲ ଗୋ । ୧୬ ।

ଥାଟ ମୋର ଏଗାର ଅକ୍ଷୌହିଣୀ ।
ଥିଲେ ଚାଲନ୍ତେ କମ୍ପଇ ଧରଣୀ ।
ଥରହର ହୋଇ ଡରଇ ଇନ୍ଦ୍ର ।
ଥିତି ଜଗତେ ଯେତେକ ନରେନ୍ଦ୍ର ସେ ।
ଥାନ୍ତି ବଶ ହୋଇ ମୋତେ ଗୋ ।
ଥାନ ମୋର ସିନା ଜଇନ୍ତା ବାରୁଣଆ
ଯମ୍ପପ୍ରସ୍ଥ ଇନ୍ଦ୍ରପ୍ରସ୍ଥେ ଗୋ । ୧୭ ।

ଦୁର୍ଯ୍ୟୋଧନ ମହାରାଜା ବୋଲାଇ ।
ଦେଲେ ପାଦ ପୃଥ୍ୱୀ ।
ଦେଲେ କର ପାଷାଣ ହୋଏ ସ୍ୱର୍ଣ୍ଣ ।
ଦିବ୍ୟ ସୁନ୍ଦର ବୟସ ନବୀନ ଯେ ।
ଦୁଃଖୀ ମୋ ରାଜ୍ୟରେ ନାହିଁ ଗୋ ।
ଦାନେ ଦାନେ ଶ୍ରେଷ୍ଠ ମାନଚକ୍ରବର୍ତ୍ତୀ
ଗୁରୁ ମୋର ଦ୍ରୋଣସାଇଁ ଗୋ । ୧୮ ।

ଧଇଲେ ଶସ୍ତ୍ର ହାରେ ସୁରପତି ।
ଧଇଲେ ଖଡ଼ି ହାରେ ବୃହସ୍ପତି ।
ଧନାଢ଼୍ୟରେ ସରି ନୁହେ କୁବେର ।
ଧନୁ ଧଇଲେ ଜିଣିବି ଶଙ୍କର ମୁଁ ।
ଧ୍ରୁବ ହେବ ଏହା ଯେବେ ଗୋ ।
ଧାତା ଅବକୁ କର୍ମବିଫଳକୁ
ଜିଣିବେ ଅବା ପାଣ୍ଡବେ ଗୋ । ୧୯ ।

ନ କରେ କୃଷ୍ଣ ପାଣ୍ଡବରେ ପ୍ରୀତି ।
ନ ଦିଅଇଁ ତିଳ ପ୍ରମାଣେ ପୃଥ୍ୱୀ ।
ନ ଭାଙ୍ଗଇ ମୁଁ ଶକୁନି ବଚନ ।
ନ କରଇଁ ମୁଁ କାହାକୁହିଁ ମାନ ସେ ।
ନିଶ୍ଚୟ ସତ ମୋହର ଗୋ ।
ନ କରିବି ପ୍ରୀତି ପିଣ୍ଡେ ପ୍ରାଣ ଥିଲେ
ନିଶ୍ଚେ କରିବି ସମର ଗୋ । ୨୦ ।

ପନ୍ନଗାନାରାୟଣ ମୁଁ ବୋଲାଇ ।
ପାଷାଣଗାର ମୋ କଥା ଅଟଇ ।
ପାଣ୍ଡବ ନାମ ନ ଥୋଇବି ପୃଥ୍ୱୀ ।
ପ୍ରତିଜ୍ଞା କରି ଉଠିଲା ନୃପତି ସେ ।
ପ୍ରିୟବତୀ ହେଲା ତୁନି ଯେ ।
ପ୍ରଚଣ୍ଡ ଖଡ଼ଗ ଝମକାଇ ବୋଲେ
ସାଜ ମୋହର ସଜନୀ ଯେ । ୨୧ ।

ଫରମାସେ ଆସେ ସୈନ୍ୟସକଳ ।
ଫରହର ଉଡ଼େ ନେତ ଚିରାଳ ।
ଫୁରିଲା ଶଙ୍ଖ ବାଜିଲା ଟମକ ।
ଫୁରୁଣାରେ ବିଜେ କୁରୁନାୟକ ସେ ।
ଫରି ଖଣ୍ଡା ଧନୁ ଧରି ଯେ ,
ଫଳ ମୁଦୁଗର ଭୂଷଣ୍ଡୀ ଶକତି
ରଥ ଗଜ ଅଶ୍ୱ ଚଢ଼ି ଯେ । ୨୨ ।

ବାରତା ପାଇ ବାହାର ପାଣ୍ଡବ ।
ବୀର ଭୀମ ନକୁଳ ସହଦେବ ।
ବାହାର ହେଲେ ନନ୍ଦୀଘୋଷ ରଥ ।
ବାସୁଦେବ ସାରଥୀ ରଥୀ ପାର୍ଥ ସେ ।
ବିଜେ ଯୁଧିଷ୍ଠିର ରାଜା ଯେ ।
ବଳ ସାତ ଅକ୍ଷୌହିଣୀ ସଙ୍ଗେ ଘେନି
ବଜାଇଣ ବୀରବାଜା ଯେ । ୨୩ ।

ଭେରୀ ମର୍ଦ୍ଦଳ ବାଜେ ବୀରତୂର ।
ଭୀଷ୍ମ ସେନାପତି କୁରୁ ସୈନ୍ୟର ।
ଭଲା ବ୍ୟାଘ୍ରଚର୍ମ ରଥେ ମଣ୍ଡଣି ।
ସଙ୍ଗେ ଘେନି ସେ ।
ଭେଟ କୁରୁକ୍ଷେତ୍ର ଭୂମି ଯେ ।
ଭଣେ ନରହରି ପୂର୍ବରେ ପାଣ୍ଡବ
ପଶ୍ଚିମେ କୁରୁସଇନୀ ଯେ । ୨୪ ।

ମହାଭାରତ ଦେବଙ୍କୁ ଦୁର୍ଲ୍ଲଭ ।
ମରାମରି ହେଲେ କୁରୁ ପାଣ୍ଡବ ।
ମଲେ ମନୁଷ୍ୟ ମଡ଼ା ଲେଖା ନାହିଁ ।
ମାଇଲେ ଭୀଷ୍ମ ସେନାପତି ହୋଇ ସେ ।
ମଧ୍ୟେ ଶୋଭା ନନ୍ଦିଘୋଷ ଯେ ।
ମହାକ୍ଷତ୍ରି ପାର୍ଥ ସଇନ୍ୟ ସଜାଇ
ସଙ୍ଗେ ଘେନି ପୀତବାସ ଯେ । ୨୫ ।

ଜାହ୍ନବୀସୁତ ଅର୍ଜୁନ ସମର ।
ଜଳଧାରା ପ୍ରାୟେ ପଡ଼ୁଛି ଶର ।
ଯୁଦ୍ଧରେ ରୁଧିରନଦୀ ବୁହାଇ ।
ଯୁଦ୍ଧକଲେ ଦଶଦିନ ଯେ ।
ଯୁଦ୍ଧେ ରଥୀ ଦଶସହସ୍ର ମାଇଲେ
ଝାଳ ପୋଛନ୍ତେ ଅର୍ଜୁନ ଯେ । ୨୬ ।

ରଣଗୋଳି ଭୀଷ୍ମ ବହୁତ କଲେ ।
ରଣରେ ଶରଶଯ୍ୟାରେ ଶୋଇଲେ ।
ରଣ କଲେ ଦ୍ରୋଣ ବ୍ୟୂହ ଭିଆଇ ।
ରଣକୂଟେ ଅଭିମନ୍ୟୁ ମରାଇ ସେ ।
ରଣେ ଶସ୍ତ୍ର ଛାଡ଼ି ମଲେ ଯେ ।
ରୋଷଭର ହୋଇ କର୍ଣ୍ଣ ସେନାପତି
ତକ୍ଷକବଳେ ପେଷିଲେ ଯେ । ୨୭ ।

ଲୁଚାଇଲା ରଥ ହନୁ ପାତାଳେ ।
ଲେଉଟିଲା ସର୍ପ ଗିଳି ଚିରାଳେ ।
ଲଲାଟ ଲେଖନେ ଅଟକେ ରଥ ।
ଲୀଳାଯୁଦ୍ଧେ ତାକୁ ମାଇଲେ ପାର୍ଥ ସେ ।
ଲାଗେ ଭୀମ ଦୁଃଶା ରଣ ଯେ ।
ଲେଉଟାଇ ଦୁଃଶା ଭୁଜ ଉପାଡ଼ନ୍ତେ
ରୁଧିରେ ଦ୍ରୌପଦୀ ସ୍ନାନ ଯେ । ୨୮ ।

ବଜାଉଁ ପଞ୍ଚଜନ୍ୟ ଶଙ୍ଖ ହରି ।
ବୀର ମହାବୀର ହେଲେ ସଂହାରି ।
ବୀର ଶଲ୍ୟ ଜୟଦ୍ରଥ ଲକ୍ଷ୍ମଣ ।
ବଧ ହୋଇଲେ କୁରୁବଳ ସୈନ୍ୟ ସେ ।
ବହିଲା ରୁଧିରନଈ ଯେ ।
ବୀର ଦୁର୍ଯ୍ୟୋଧନ ଭାସି ଯାଉଅଛି
ରଥିମାନଙ୍କୁ ମରାଇ ଯେ । ୨୯ ।

ଭାର ଗଦା କରେ ନେଇ ।
ସ୍ୱପୁତ୍ର ମଡ଼ାପରେ ଭରା ।
ପାରି ହୋଇଗଲା ।
ସରୋବରେ ଯାଇଣ ଲୁଚିଲା ସେ ।
ସକଳ ଶିରୀ ସମ୍ପଦ ଯେ ।
ସର୍ବ ସୈନ୍ୟଙ୍କୁ ସଂହାରିଣ ପାଣ୍ଡବେ
ଖୋଜନ୍ତି ମାନଗୋବିନ୍ଦ ଯେ । ୩୦ ।

ଶୀଘ୍ରେ ଭୀମ ତିନି ରଡ଼ି ଛାଡ଼ିଲା ।
ସହି ନ ପାରି ରାଜନ ଧାଇଁଲା ।
ସତୁରିଭାର ଗଦା ଉରେ ବହି ।
ସଂଗ୍ରାମ କଲା ଆସି ରଣଭୂଇଁ ସେ ।
ସମ୍ମୁଖେ ମିଳିଲା ଭୀମ ଯେ ।
ସେହି ଗଦାଯୁଦ୍ଧେ ପିଟାପିଟି ହେଲେ
ବଢ଼ିଲା ଘୋର ସଂଗ୍ରାମ ଯେ । ୩୧ ।

ଶରୀର ବଜ୍ର ଅଟଇ ତାହାରି ।
ଶୀଘ୍ରେ ଜାନୁକୁ ଠାରିଦେଲେ ହରି ।
ଶୁଣି ଭୀମ ଗଦା ପିଟିଲା ନେଇଁ ।
ଶୋଇଲା ରାଜା ଜାନୁଭଗ୍ନ ହୋଇ ସେ ।
ସରିଲା ସକଳ ଟାଣ ଯେ ।
ସର୍ବସୈନ୍ୟ ମାରି ଜୟଶଙ୍ଖ ବାଇ
ବିଜେ ଯୁଧିଷ୍ଠିର ରାଣ ଯେ । ୩୨ ।

ହତ ହୋଇଲେ ଶତେ ଅନ୍ଧବଳା ।
ହୋଇଲେ ବିଧବା ତାଙ୍କ ଅବଳା ।
ହରି ପାଣ୍ଡବଙ୍କୁ ଘେନିଣ ସଙ୍ଗେ ।
ହସ୍ତିନାରେ ବୋଧି ବନ୍ଧୁଙ୍କୁ ବେଗେ ସେ ।
ହେଲେ ଯୁଧିଷ୍ଠିର ରାଜା ଯେ ।
ହୋଇଲେ ପଞ୍ଚକଟକରେ ରାଜନ
ପାଳିଲେ ଜନ ପରଜା ଯେ । ୩୩ ।

କ୍ଷମାସାଗର ଦ୍ୱାରିକାକୁ ଗଲେ ।
କ୍ଷିତିପତିମାନେ ମେଲାଣି ହେଲେ ।
କ୍ଷିତିପତି ପଣ ପାଣ୍ଡବେ ନେଲେ ।
ଛଇଳ କହ୍ନାଇ ଏମନ୍ତ କେଲ ସେ ।
କ୍ଷୀରୋଦରଶାୟୀ ସାହା ଯେ ।
କ୍ଷମେ ନରହରି ବ୍ରାହ୍ମଣ କହଇ
ସାମନ୍ତ ମୋ ଲକ୍ଷ୍ମୀନାହା ଯେ । ୩୪ ।


କବି ନରହରିଙ୍କ ବିରଚିତ ଏହି ଚଉତିଶାରେ ଦୁର୍ଯ୍ୟୋଧନଙ୍କ ପ୍ରତି ତାଙ୍କ ଭାର୍ଯ୍ୟା ଭାନୁମତୀଙ୍କ ସତର୍କବାଣୀ ଉପସ୍ଥାପିତ ହୋଇଛି । ୧୯୫୩ରେ ପ୍ରକାଶିତ ‘ଭାନୁମତୀ ଚଉତିଶା’ ନାମକ ଚଟିବହିରୁ ଲେଖାଟି ସଂଗୃହୀତ ହୋଇଛି । ସ୍ଥାନେ ସ୍ଥାନେ ଉକ୍ତ ପୁସ୍ତକଟି ଚିରିଯାଇଥିବାରୁ କେତୋଟି ଶବ୍ଦ ଉପରେ ଦିଆଯାଇଥିବା ପାଠରେ ନାହିଁ । ଅନ୍ୟତ୍ର ଏହି ରଚନା ମିଳିଲେ ତାହା ସଂଶୋଧନ କରାଯିବ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ